ଜାମ୍ମୁ କାଶ୍ମୀରରେ ହିଂସା ଓ ହତ୍ୟାର ଆତଙ୍କକୁ ଦମନ କରାଯାଇଛି ବୋଲି କେନ୍ଦ୍ରର ବିଜେପି ସରକାର ପ୍ରଚାର କରୁଥିବା ବେଳେ, କାଲିରାତିରେ ଜାମ୍ମୁ ସହର ଉପାନ୍ତରେ ଉଦୟଓ୍ଵାଲାଠାରେ ଥିବା ନିଜ ବାସଭବନରେ ଜେଲ ବିଭାଗ ପୋଲିସ ମହାନିର୍ଦ୍ଦେଶକ ଏଚ କେ ଲୋହିଆଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଡିଜି ପଦବୀରେ ଥିବା ଉଚ୍ଚ ପୋଲିସ ଅଧିକାରୀଙ୍କ ଜୀବନ ସୁରକ୍ଷିତ ନଥିବା ବେଳେ ସେଠାରେ ସାଧାରଣ ଲୋକଙ୍କ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିଛି। ୫୭ ବର୍ଷ ବୟସ୍କ ଆଇପିଏସ ଅଫିସର ଲୋହିଆଙ୍କୁ ଗତ ଅଗଷ୍ଟ ମାସରେ ଡିଜି ପଦବୀକୁ ପଦୋନ୍ନତି ଦିଆଯାଇଥିଲା।
ଘଟଣା ସମ୍ପର୍କରେ ପୋଲିସର ସୂଚନା ଅନୁସାରେ
ଶ୍ରୀ ଲୋହିଆଙ୍କ କୋଠରୀରୁ ନିଁଆ ବାହାରୁଥିବା ଦେଖି ଡିଜିଙ୍କ ବାସଭବନ ସୁରକ୍ଷାକର୍ମୀମାନେ କବାଟ ଭାଙ୍ଗି ଭିତରେ ପଶିଥିଲେ ଓ ସେଠାରେ ଗଳା କଟା ଯାଇଥିବା ଅବସ୍ଥାରେ ଲୋହିଆଙ୍କ ମୃତ ଶରୀର ପଡିଥିବାର ଦେଖିଥିଲେ। ହତ୍ୟାକାଣ୍ଡ ଘଟାଇଥିବା ଦୁର୍ବୃତ୍ତ ଲୋହିଆଙ୍କ ଶବକୁ ଜଳାଇ ଦେବାକୁ ଉଦ୍ୟମ କରିଥିଲା ବୋଲି ଜାମୁ ଜୋନର ଅତିରିକ୍ତ ପୋଲିସ ଡିଜି ମୁକେଶ ସିଂ କହିଛନ୍ତି।
ଖବର ପାଇବା ପରେ ଜାମ୍ମୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୋହିଆଙ୍କ ଘରେ କାମ କରୁଥିବା ଜସୀର୍ ଏହି ନିର୍ମମ କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି, ସେ ଫେରାର ହୋଇଯାଇଥିବା ପୋଲିସ କହିଛି।