ପଞ୍ଜାବରେ କଟ୍ଟରପନ୍ଥୀ ସଂଗଠନ ‘ଓ୍ଵାରିସ ପଞ୍ଜାବ ଦେ’ର ମୁଖ୍ଯ ଅମୃତପାଲ ସିଂଙ୍କୁ ଗିରଫ କରିବାକୁ ରାଜ୍ୟର ୭ଟି ଜିଲ୍ଲାରେ ପୋଲିସ ଘେରାବନ୍ଦୀ କରିଛି । ଜଳନ୍ଧରର ସାହକୋଟ ମହେତପୁର ନିକଟରେ ଅମୃତପାଲ ସିଂ ଓ ତାଙ୍କ ସାଥୀମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପଞ୍ଜାବ ପୋଲିସ । ଅମୃତପାଲ ସାହାକୋଟ ଆସିବା ଖବର ପୋଲିସକୁ ପୂର୍ବରୁ ମଳିଯାଇଥିଲା । ସେଥିପାଇଁ ସାହାକୋଟର ସମସ୍ତ ରାସ୍ତା ସିଲ୍ କରି ପୋଲିସ ସଜାଗ ଥିଲା, ମାତ୍ର ପୋଲିସ ହାତରେ ତାର ୬ଜଣ ସାଥୀ ଧରାପଡିଥିବା ବେଳେ ନିଜେ ଅମୃତପାଲ ଖସି ଯାଇଛି।
‘ଓ୍ଵାରିସ ପଞ୍ଜାବ ଦେ’ର ସମର୍ଥକମାନେ ଯେଭଳି ଭାବେ ସାମାଜିକ ଗଣମାଧ୍ୟମରେ ହିଂସା ଉଦ୍ରେକକାରୀ ପୋଷ୍ଟ କରିନପାରିବେ ଓ ଏକଜୁଟ ହୋଇ ନପାରିବେ ତାହାକୁ ନଜରରେ ରଖି ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଗତକାଲି ମଧ୍ୟରାତ୍ରରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।
ଅମୃତପାଲସିଂ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୨ଟି ମାମଲା ଅମୃତସର ଜିଲ୍ଲାର ଅଜନାଲା ଥାନାରେ ଦାୟର ହୋଇଛି। ନିଜ ସମର୍ଥକଙ୍କ ଗିରଫକୁ ବିରୋଧ କରି ଅମୃତପାଲ ଫେବୃଆରୀ ୨୩ ତାରିଖରେ ଅଜନାଲ ଥାନା ଉପରେ ଆକ୍ରମଣ କରିବା ମୁଖ୍ୟ ମାମଲା ରହିଛି ।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅମୃତପାଲ ସିଂ କହିଥିଲା କି ପୋଲିସ ତରଫରୁ ତାଙ୍କ ସଂଗଠନର ସମର୍ଥକଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଉଛି । ଏହି କାରଣରୁ ‘ବାରିସ ପଞ୍ଜାବ ଦେ’ର ହଜାର ହଜାର ସମର୍ଥକ ଅଜନାଲ ଥାନା ଘେରାଉ କରିଥିଲେ । ଏହାସହ ଗଣମାଧ୍ୟମ ଉପରେ ମଧ୍ୟ ସେ ଦୋଷ ଲଦିଛି ଓ କହିଛି କି ଯାହା ଘଟୁଛି ଗଣମାଧ୍ୟମ ତାର ବିପରିତ ଖବର ଲୋକଙ୍କୁ ଦେଖାଉଛି ।
Prev Post