ମଣିପୁରରେ ବିଜେପି ସରକାର ବିରୋଧରେ ତେଜୁଛି ଗଣ ଅସନ୍ତୋଷ, ଗୋଟିଏ ପକ୍ଷରେ ଦଳରେ ଆଭ୍ୟନ୍ତରୀଣ ମନାନ୍ତର କ୍ରମଶଃ ଜଟିଳ ହେଉଥିବା ବେଳେ ରାଜ୍ୟର ଜନଜାତି ସମ୍ପ୍ରଦାୟର ଲୋକମାନେ ସରକାରଙ୍କ ବିରୋଧରେ ଘମାଘୋଟ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ତାହାର ଏକ ଝଲକ ଦେଖିବାକୁ ମିଳିଛି ଗତକାଲି ସଂଧ୍ୟାରେ ରାଜ୍ୟର ଚୁରଚନ୍ଦପୁର ଜିଲ୍ଲାର ନ୍ଯୁଲମକାରେ।
ଏଠାରେ ଆଜି ମୁଖ୍ୟମନ୍ତ୍ରୀ ବିରେନ ସିଂ ପିଟି ସ୍ପୋର୍ଟ୍ସ କମ୍ପ୍ଳେକ୍ସକୁ ଉଦଘାଟନ କରିବାର କାର୍ଯକ୍ରମ ଥିଲା, ମାତ୍ର ଗତକାଲି ରାତି ୯ଟା ସମୟରେ ଏହାକୁ ନିଆଁ ଲଗାଇ ପୋଡି ପାଉଁସ କରି ଦିଆଯାଇଛି।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ବୀରେନ ସିଂ ପିଟି ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ସେଠାରେ ଗତକାଲି ସବୁ ପ୍ରସ୍ତୁତି ସରିଥିଲା ଓ ସଭାସ୍ଥଳରେ ବହୁ ସଂଖ୍ୟାରେ ଚେୟାର ବି ପକା ଯାଇଥିଲା। ସ୍ପୋର୍ଟସ କମ୍ପ୍ଲେକ୍ସ ଉଦ୍ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ସଦଭାବନା ମଣ୍ଡପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା।
ମାତ୍ର ଗତକାଲି ରାତିରେ ବହୁ ସଂଖ୍ୟାରେ ଲୋକେ ପିଟି ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ପହଞ୍ଚି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଜନଜାତି ସମ୍ପ୍ରଦାୟ ପକ୍ଷରୁ ଏହି ହିଂସାକାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି।
ଆଦିବାସୀ ତଥା ଜନଜାତି ସମ୍ପ୍ରଦାୟ ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ସରକାର ଆନ୍ତରିକତା ପ୍ରକାଶ କରୁ ନ ଥିବାରୁ ଗତକାଲି ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ୱଦେଶୀ ଜନଜାତି ସମ୍ପ୍ରଦାୟ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହାପରେ ରାତିରେ ଏହି ହିଂସାକାଣ୍ଡ ଘଟିଥିଲା।
ସେହି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି ଓ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।