ନୀତିଶଙ୍କ ସହ ଯୋଡିହେଲେ ପ୍ରଶାନ୍ତ କିଶୋର : ରହସ୍ୟର ଅନ୍ଧାର ଭିତରେ ଅଛି ଗୁପ୍ତଲକ୍ଷ୍

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତକାଲି ସଂଧ୍ୟାରେ ୪୫ ମିନିଟ କାଳ ରୁଦ୍ଧଦ୍ଵାର ବୈଠକ କରିବା ପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି !

ଏକଦା ଶ୍ରୀ କୁମାରଙ୍କର ଏକାନ୍ତ ନିର୍ଭରଯୋଗ୍ୟ ନିର୍ବାଚନ ପରାମର୍ଶଦାତା ଓ ଦଳୀୟ ସହଯୋଗୀ ଥିବା ପ୍ରଶାନ୍ତ କିଶୋର ଗତ ପ୍ରାୟ ୨ ବର୍ଷଧରି ତାଙ୍କର କଠୋର ସମାଲୋଚକ ପାଲଟି ଯାଇଥିଲେ।

ବିଜେପି ସହ ମେଣ୍ଟ ଭାଙ୍ଗି ତେଜସ୍ୱୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ସହ ମିଶି ବିହାରରେ ନୂଆ ସରକାର ଗଢିବା ପରେ ଓ ବିଜେପି ବିରୋଧରେ ସବୁ ବିରୋଧୀ ଦଳଗୁଡିକୁ ଏକାଠି କରିବାର ଠାନ୍ ନେଲାପରେ ପ୍ରଶାନ୍ତ କିଶୋର ଏହାକୁ ନେଇ ପରିହାସ କରିଥିଲେ, ବିହାରରେ ଆଗାମୀ ଦିନରେ ନୂଆ ରାଜନୈତିକ ପଟ୍ଟ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ଭବିଷ୍ୟତ ବାଣୀ କରିଥିଲେ।

ମାତ୍ର ଗତକାଲିର ଘଟଣା ପରେ ଏକ ନୂଆ ରାଜନୈତିକ ସମୀକରଣ ପାଇଁ ବାଟ ଫିଟିବାକୁ ଯାଉଛି ବୋଲି ମନେ କରାଯାଊଛି।

ଉଲ୍ଲେଖନୀୟ ଯେ ନୀତୀଶ କୁମାର ଓ ପ୍ରଶାନ୍ତ କିଶୋରଙ୍କୁ ଏକାଠି କରିବାର ବ୍ୟବସ୍ଥା କରିଛନ୍ତି ଜେଡିୟୁର ପୂର୍ବତନ ନେତା ପବନ ବର୍ମା।

ଦୁଇ ବର୍ଷ ତଳେ ପବନ ଓ ପିକେଙ୍କୁ ଦଳ ବିରୋଧୀ କାମ ପାଇଁ ଜେଡିୟୁରୁ ବିଦା କରାଯାଇଥିଲା। ଏବେ ସେ ହିଁ ପିକେ ଓ ନୀତୀଶ କୁମାରଙ୍କୁ ଏକାଠି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ବୁଧବାର ବୈଠକରେ ପବନ ବର୍ମା ମଧ୍ୟ ଉପସ୍ଥିତ ଥିଲେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏକ ବସ୍ତୁନିଷ୍ଠ ସୂତ୍ର ବାହାର କରିବା ଉଦ୍ଦେଶ୍ୟରେ ଏହି ବୈଠକ ହୋଇ ଥାଇପାରେ ବୋଲି ମନେ କରାଯାଉଛି।

ସ୍ମରଣଯୋଗ୍ୟ ଯେ ପ୍ରଶାନ୍ତ କିଶୋର ନିଜର ଏକ ରାଜନୈତିକ ଦଳ ଗଢି ସାରିଛନ୍ତି ଓ ବିହାରରେ ଏହାର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରି ସାରିଛନ୍ତି।

ଏହି ରୁଦ୍ଧଦ୍ଵାର ଆଲୋଚନା ସମ୍ପର୍କରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରବୀଣ ନୀତିଶ ରହସ୍ୟମୟ ହସ ହସି ଏକଥା ପିକେଙ୍କୁ ପଚାରିବାକୁ କହିଛନ୍ତି !!

Leave A Reply

Your email address will not be published.