ରାଷ୍ଟ୍ରପତି ନିର୍ବାଚନ ପାଇଁ ସବୁ ବିରୋଧିଦଳର 22 ନେତାଙ୍କୁ ଏକଜୁଟ ହେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ମହାବୈଠକର ଆୟୋଜନ କରିଥିଲେ, ତାହାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚତୁରତାର ସହ ଏଡାଇ ଯାଇଛନ୍ତି । ନବୀନଙ୍କ ସହିତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସଆର କଂଗ୍ରେସ ପାର୍ଟି ସୁପ୍ରିମୋ ମଧ୍ୟ ଏହି ବୈଠକରେ ଯୋଗ ଦେଇନାହାନ୍ତି ! ଏହା ପ୍ରକାରାନ୍ତରେ ବିଜେପିକୁ ଏକ ପ୍ରକାର ସବୁଜ ସଙ୍କେତ ଦେଖାଉଛି ଵୋଲି ରାଜନୈତିକ ସମୀକ୍ଷକମାନେ ମନେକରୁଛନ୍ତି । ନିଜ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଜୟ ପାଇଁ ନିଜ ଦଳ ଓ ସହଯୋଗୀ ଦଳଙ୍କ ଭୋଟ ବ୍ୟତୀତ ବିଜେପିକୁ ଅଧିକ 13 ହଜାର ଭୋଟ ଆବଶ୍ୟକ ପଡୁଥିବା ବେଳେ “ଇଲେକଟୋରାଲ କଲେଜ”ରେ ବିଜେଡିର ମୋଟ ଭୋଟ ସଂଖ୍ୟା 31 ହଜାର 686 ଓ ୱାଇଏସଆର କଂଗ୍ରେସ ପାର୍ଟିର ମୋଟ ଭୋଟ ସଂଖ୍ୟା ହେଉଛି 43 ହଜାର 450 ! ବିଜେଡିର ଲୋକସଭାରେ 12 ଓ ରାଜ୍ୟ ସଭାରେ 9 ସଦସ୍ୟ ଅଛନ୍ତି ଏବଂ ଓଡିଶା ବିଧାନସଭାରେ ଦଳର ବିଧାୟକଙ୍କ ସଂଖ୍ୟା 114, ସେହିପରି ୱାଇଏସଆର କଂଗ୍ରେସ ପାର୍ଟିର ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ 22, 9 ଓ 151 ସଦସ୍ୟ ଅଛନ୍ତି !
ମମତାଙ୍କ ମହାବୈଠକରେ ବିଜେଡି ଯୋଗ ନଦେବା ପ୍ରସଙ୍ଗରେ ଲୋକସଭାରେ ଦଳର ନେତା ପିନାକୀ ମିଶ୍ର କହିଛନ୍ତି ଯେ ଏହି ବୈଠକରେ ଯୋଗଦେବା ପାଇଁ ଦଳର ନେତାଙ୍କ ଠାରୁ କୌଣସି ନିର୍ଦ୍ଦେଶ ମିଳି ନଥିଲା । ରାଷ୍ଟ୍ରପତି ନିର୍ବାଚନରେ ଦଳ କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବ, ସେକଥା ଦଳର ନେତା ଯଥାସମୟରେ ନିଷ୍ପତି ନେବେ-ଆଗରୁ ଆମେ ଏସବୁ ଗୋଳିଆଘାଣ୍ଟରେ ପଶିବୁ କାହିଁକି ? ବିଜେଡିର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଏ ସମ୍ପର୍କରେ ମନ୍ତବ୍ୟ ରଖି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆଗରୁ ସବୁକଥା ସ୍ପଷ୍ଟ କରିସାରିଛନ୍ତି, ପ୍ରାର୍ଥୀଙ୍କ ଯୋଗ୍ୟତା ଭିତ୍ତିରେ ହିଁ ଦଳ ସମର୍ଥନ କରିବ, ଏପର୍ଯ୍ୟନ୍ତ ତ ଶାସକ ବା ବିରୋଧିଦଳ ପ୍ରାର୍ଥୀ ଚୟନ କରିନାହାନ୍ତି – ତେଣୁ ଆଗରୁ ଆମଦଳ କୌଣସି ଗୋଷ୍ଠିରେ ପକ୍ଷଭୁକ୍ତ ହେବା ପ୍ରଶ୍ନ ନାହିଁ !
ନବୀନ ମମତାଙ୍କ ମହାବୈଠକକୁ ଏଡ଼ିଯିବା ବାବଦରେ ବିଜେପିର ଗୋପନ ସମର୍ଥକ ବରିଷ୍ଠ ସାମାଜିକ ସଙ୍ଗଠକ ନାରାୟଣ ଆୟାରଙ୍କ ତତ୍କାଳ ପ୍ରତିକ୍ରିୟା ବେଶ ଗୁରୁତ୍ୱପୂର୍ଣ ! ଶ୍ରୀ ଆୟାର ନବୀନଙ୍କ ନିଷ୍ପତିକୁ ପ୍ରଶଂସା କରି ଲେଖିଛନ୍ତି ଯେ ନବୀନ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭଳି ଚାପସୁଲ ନୁହନ୍ତି, କୌଣସି କଥାର ବାସ୍ତବତା ଓ କାରଣ ନବୁଝି ସେ ହଠାତ ଡେଇଁ ପଡନ୍ତି ନାହିଁ (ଅନଲାଇକ୍ ମେନି ଅଫ ଦି ସାଇକୋଫାଣ୍ଟ ସିଏମସ୍ ହୁ ଜମ୍ପ୍ ଟୁ କନକ୍ଲୁଜନ ଉଇଦାଉଟ ରାଇମ ଅର୍ ରିଜିନ୍) !
ନବୀନଙ୍କ ଏହି ନିଷ୍ପତ୍ତିରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କ ଦଳ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ହିଁ ସମର୍ଥନ କରିବେ !