ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ମହା ବିକାଶ ଅଘାଡ଼ି ସରକାର ଉପରେ ଆତ୍ମଘାତୀ ଆକ୍ରମଣ ଜାରିଥିବା ବେଳେ ରାଜ୍ୟପାଳ ଭଗତ ସିଂ କୋଶଆରି ଗତକାଲି ରାତିରୁ କରୋନା ପଜିଟିଭ ଚିହ୍ନଟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଅଢେଇ ବର୍ଷ ଧରି ବିଜେପି ପକ୍ଷରୁ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀତ୍ବ ଉପରେ ଗରିଲା ଆକ୍ରମଣ ଲାଗି ରହିଥିଲା ବେଳେ ଗତ ରାଜ୍ୟସଭା ନିର୍ବାଚନରେ ଗୈରିକ ଷ୍ଟ୍ରାଟେଜିକୁ କିଛିଟା ସଫଳତା ମିଳିଥିବା ଦେଖାଗଲା,, ସମ୍ପ୍ରତି 10 ଏମଏଲସି ନିର୍ବାଚନରେ ନିଜ ଦଳର 5 ପ୍ରାର୍ଥୀଙ୍କୁ ଜିତାଇ ଆଣିବାରେ ସକ୍ଷମ ହେବାପରେ ବିଜେପି ଶିବସେନାରେ ବିଭାଜନ ସୃଷ୍ଟି କରିବାକୁ ଖେଳ ଆରମ୍ଭ କରିଦେଇଛି । ବିଜେପିର ଏହି ଖେଳରେ ଅସ୍ତ୍ର ସାଜିଛନ୍ତି ବରିଷ୍ଠ ଶିବସେନା ବିଧାୟକ ଏକନାଥ ସିନ୍ଧେ, ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖି ସାଙ୍ଗରେ ପାଖାପାଖି 20 ଶିବସେନା ବିଧାୟକଙ୍କୁ ଧରି ଏବେ ସିନ୍ଧେ ଗତକାଲି ପର୍ଯ୍ୟନ୍ତ ଗୁଜୁରାଟ ସୁରଟର ଏକ ଅଜଣା ସ୍ଥାନରେ ଅପେକ୍ଷା କରିଥିଲେ, ଏବେ ସେମାନେ ଗୌହାଟୀ ଚାଲି ଯାଇଛନ୍ତି ବୋଲି କୁହାଯାଉଛି । କେତେକ ଏହି ସଂଖ୍ୟାକୁ 26 ଓ ଅନ୍ୟ କେତେକ 35 କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଠାକର ଓ ବରିଷ୍ଠ ସାଂସଦ ସଞ୍ଜୟ ରାଉତ ଏହାକୁ ନିରାଧାର ବୋଲି କହିଛନ୍ତି ।
ଏହାରି ମଧ୍ୟରେ ଏକ ବଡ ଅଭିଯୋଗ ଆଣିଛି ଶିବସେନା । ଶିବସେନା କହିଛି ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ସାମିଲ ଶିବସେନା ବିଧାୟକ ନିତିନ ଦେଶମୁଖଙ୍କୁ ସୁରଟ ହୋଟେଲରେ ପୋଲିସ ମାରପିଟ କରିଛି । ସେ ମୁମ୍ବାଇ ଆସିବାକୁ ଚାହହୁଁଥିଲେ, କିନ୍ତୁ ତାଙ୍କୁ ବନ୍ଧକ କରି ଅନ୍ୟ କେତେକଙ୍କ ସହ ଆସମର ଗୌହାଟୀ ନିଆଯାଇଛି ।
ସୁରଟରୁ ଶିବସେନା ନେତା ପରେଶ ଖେର ଗଣମାଧ୍ୟମକୁ କହିଛନ୍ତି ଯେ ନିତିନ ଦେଶମୁଖ ହୋଟେଲରୁ ବାହାରି ଏକ ମାର୍କେଟକୁ ଯାଇଥିଲେ, ସେଠାରେ ସେ ଫୋନ ଯୋଗେ ତାଙ୍କୁ ସହାୟତା ମାଗିଥିଲେ ମୁମ୍ବାଇ ଫେରିଯିବା ପାଇଁ । ସେ ମାର୍କେଟରେ ପହଞ୍ଚିବା ବେଳକୁ ପୋଲିସ ତାଙ୍କୁ ଧରି ହୋଟେଲ ନେଇଯାଉଥିଲା । ସେ ମଧ୍ୟ ସେମାନଙ୍କ ପଛେ ପଛେ ହୋଟେଲ ପର୍ଯ୍ୟନ୍ତ ଯାଇଥିଲେ, ମାତ୍ର ହୋଟେଲ ବାହାରେ ଖେର ଓ ତାଙ୍କ ସହଯୋଗୀଙ୍କୁ ଅଟକାଇ ଦିଆଯାଇଥିଲା । ତେବେ ନିତିନ ମୁମ୍ବାଇ ଯିବେ ବୋଲି ଜିଦ୍ ଧରିବା ପରେ ପୋଲିସ ଅଧିକାରୀ ତାଙ୍କୁ ମାରପିଟ୍ କରିଥିଲେ ବୋଲି ଶିବସେନା ପକ୍ଷରୁ କୁହାଯାଇଛି । ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ପୋଲିସ ଏବଂ ବିଧାୟକଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲା ।
ଏ ସମ୍ପର୍କରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ସିନ୍ଦେଙ୍କ ସହଯୋଗରେ ବିଜେପି ପକ୍ଷରୁ ୯ ବିଧାୟକଙ୍କୁ ଅପହରଣ କରି ରଖାଯାଇଛି । ସେମାନେ ମୁମ୍ବାଇ ଆସିବାକୁ ଚାହୁଁଥିବାରୁ ଅପହରଣ କରାଯାଇଥିବା ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଧାୟକ ନିତିନ ଦେଶମୁଖଙ୍କ ପତ୍ନୀ ପ୍ରାଞ୍ଜଳି ଅକୋଲା ଥାନାରେ ବିଧାୟକଙ୍କ ନିଖୋଜ ନେଇ ଏତାଲା ଦେଇଛନ୍ତି । ସେ ଅଭିଯୋଗରେ କହିଛନ୍ତି ତାଙ୍କ ସ୍ବାମୀ ମଙ୍ଗଳବାର ସକାଳ ସୁଦ୍ଧା ଅକୋଲାସ୍ଥିତ ନିଜ ଘରକୁ ଆସିବାର ଥିଲା, କିନ୍ତୁ ସୋମବାର ସନ୍ଧ୍ୟାରୁ ହିଁ ତାଙ୍କ ଫୋନ ଲାଗୁନି । ତେଣୁ ମୋ ସ୍ବାମୀ ନିଖୋଜ ହୋଇଯାଇଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଦେଶମୁଖଙ୍କ ସ୍ତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି ।