ସିବିଆଇ ତଦନ୍ତ କରୁଥିବା ‘ଯାଗା ବିନିମୟରେ ଚାକିରୀ’ (Land-For-Job) ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉସେ କୋର୍ଟ ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବରୀ ଦେବୀ ଓ କନ୍ୟା ମିସା ଭାରତୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଓ ବ୍ଯକ୍ତିଗତ ଜାମିନଦାର ବଦଳରେ ସ୍ଵତନ୍ତ୍ର ବିଚାରପତି ଗୀତିଞ୍ଜଳି ଗୋଏଲ ସକାଳ ୧୧ଟା ବେଳେ ଏହି ଜାମିନ ଆଦେଶ ଦେଇଛନ୍ତି।
ଶ୍ରୀ ଯାଦବ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କେନ୍ଦ୍ର ରେଳମନ୍ତ୍ରୀ ଥିବା କାଳରେ ତାଙ୍କ ପରିବାର ସଦସ୍ଯମାନେ ରେଳବାଇରେ ନିଯୁକ୍ତି ଦେବା ପାଇଁ ଲୋକଙ୍କ ଠାରୁ ଉପହାର ସୂତ୍ରରେ ବା ନାମମାତ୍ର ମୂଲ୍ଯରେ ପାଇଥିବା ଜମି ଉପରେ ସିବିଆଇ ତଦନ୍ତ କରୁଛି। ଏହି ମାମଲାରେ ସିବିଆଇ କୋର୍ଟରେ ଚାର୍ଜସିଟ ଦାଖଲ କରି ଦର୍ଶାଇଛି ଯେ ଏହି ଦୁର୍ନୀତି କାରବାରରେ ରେଳବାଇରେ ନିଯୁକ୍ତି ନିୟମାବଳୀର ବ୍ଯାପକ ଉଲଙ୍ଘନ ହୋଇଛି। ଗତ ଫେବୃଆରୀ ୨୭ ତାରିଖରେ ସ୍ଵତନ୍ତ୍ର ବିଚାରପତି ୩ ଅଭିଯୁକ୍ତଙ୍କୁ ସମନ ଜାରି କରି ମାର୍ଚ୍ଚ ୧୫ ତାରିଖରେ କୋର୍ଟରେ ହାଜର ହେବାପାଇଁ ସମନ ଜାରି କରିଥିଲେ ।