ଅବିଭକ୍ତ ଆନ୍ଧ୍ରପ୍ରଦେଶର ଦୁର୍ଭାଗ୍ୟ ଭାବେ ବିବେଚିତ ରାଜ୍ୟର ଶେଷ କଂଗ୍ରେସ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଗତକାଲି ବିଜେପିରେ ଯୋଗ ଦେଇଛନ୍ତି। ଅବଶ୍ୟ ପୂର୍ବରୁ ୨୦୧୪ରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ଓ ନିଜର ଏକ ଅଲଗା ଦଳ ଗଠନ କରି ୨୦୧୪ ନିର୍ବାଚନ ଲଢିଥିଲେ, ମାତ୍ର ନିର୍ବାଚନରେ ତାଙ୍କ ଦଳ ଧରାଶାୟୀ ହୋଇଯାଇଥିଲା। ରାଜ୍ୟର ଲୋକେ ତାଙ୍କୁ ଓ ତାଙ୍କ ଦଳକୁ ପ୍ରତ୍ଯାଖାନ କରିବା ପରେ ପରବର୍ଷ କିରଣ କୁମାର ପୁଣି କଂଗ୍ରେସରେ ଯୋଗ ଦେଇଥିଲେ।
ଆଜି ବିଜେପିରେ ଯୋଗ ଦେଇ ଶ୍ରୀ ରେଡ୍ଡୀ କଂଗ୍ରେସକୁ କଡା ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ , ହାଇକମାଣ୍ଡଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଦଳ ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଚାଲିଯାଉଛି !
ରାହୁଲ ଗାନ୍ଧୀଙ୍କ ନାମ ନନେଇ କିରଣ କହିଛନ୍ତି ଯେ କଂଗ୍ରେସ ହାଇକମାଣ୍ଡ ଭାବୁଛନ୍ତି ଯେ ସେ ଠିକ ଅଛନ୍ତି ଓ ଦେଶର ଲୋକଙ୍କ ସମେତ ଅନ୍ୟ ସମସ୍ତେ ଭୁଲ କରୁଛନ୍ତି। ଏଥିପାଇଁ ଦଳ ଛାଡିବାକୁ ସେ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଶ୍ରୀ ରେଡ୍ଡୀ।