ସରକାରଙ୍କ ନୀତିକୁ ସମାଲୋଚନା କରିବା କେବେଠାରୁ ଦେଶକୁ ସମାଲୋଚନା କରିବା ଭାବେ ବିବେଚିତ ହେଲାଣି ବୋଲି ରବିବାର ଦିନ କଂଗ୍ରେସ ପଚାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ।
ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ପରୋକ୍ଷରେ ବିଦ୍ରୂପ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କର୍ଣ୍ଣାଟକରେ କଂଗ୍ରେସ ଗଣମାଧ୍ୟମ ଓ ପ୍ରଚାର ବିଭାଗର ମୁଖ୍ୟ ପବନ ଖେରା ମୋଦିଙ୍କୁ ପ୍ରଶ୍ନ କରିଛନ୍ତି – ତୁମ ନୀତିକୁ ସମାଲୋଚନା କରିବା କେବେଠାରୁ ଦେଶକୁ ସମାଲୋଚନା କରିବାରେ ପରିଗଣିତ ହେଲାଣି? ତୁମେ କେବଳ ମାତ୍ର ଜଣେ ପ୍ରଧାନମନ୍ତ୍ରୀ, ତୁମେ ଦେଶ ନୁହଁ କି ବିଧାତା ନୁହଁ !
ଉଲ୍ଲେଖଯୋଗ୍ୟ ଯେ କିଛିଦିନ ତଳେ ଇଂଲଣ୍ଡ ଗସ୍ତରେ ଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଥିଲେ ଯେ, ଭାରତରେ ଗଣତନ୍ତ୍ରର ବିଭବ ସବୁ ବିପଦଗ୍ରସ୍ତ ହୋଇପଡ଼ିଛି ! ତାଙ୍କର ଏହି ମନ୍ତବ୍ୟକୁ ନେଇ ଗତକାଲି ବିଧାନସଭା ନିର୍ବାଚନ ହେବାକୁ ଥିବା କର୍ଣ୍ଣାଟକରେ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦି ରାହୁଲଙ୍କ ନାମ ନନେଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ।
ମୋଦିଙ୍କ ଏପରି ବକ୍ତବ୍ୟ ପରେ ତୁରନ୍ତ କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ହିଁ ଗଣତନ୍ତ୍ରକୁ ବିପଦଗ୍ରସ୍ତ କରାଉଛନ୍ତି। ସେଥିପାଇଁ ଗଣତନ୍ତ୍ର ଉପରେ ଆଲୋଚନା ହେଉଛି।
ପବନ ଖେରା କହିଛନ୍ତି, ଏ ଦେଶର ପୂର୍ବତନ ରାଷ୍ଟ୍ରନେତା ଓ ସ୍ଵାଧୀନତା ସଂଗ୍ରାମର ଅଗ୍ରଣୀ ନାୟକମାନଙ୍କୁ ଗାଳିଗୁଲଜ କରି ପ୍ରଧାନମନ୍ତ୍ରୀ ୯ ବର୍ଷ ନଷ୍ଟ କରିଛନ୍ତି। ଗତ ୭୦ ବର୍ଷରେ କିଛି ହୋଇ ନ ଥିବା କଥା କହି ନରେନ୍ଦ୍ର ମୋଦି ୩ ପୀଢ଼ିକୁ ଅପମାନ ଦେବା ବେଳେ ଦେଶର ମର୍ଯ୍ୟାଦା ପ୍ରତି ଧ୍ୟାନ ଦେଲେ ନାହିଁ, ଆତ୍ମପ୍ରଶଂସା କରି ସଂସଦରେ କହିଲେ, ଏକା ମାଧିଆ ବାଇଶ ପଳ, ଦୁନିଆ ଏକଥା ଶୁଣି ହସୁଛି ବୋଲି କହିଛନ୍ତି ଶ୍ରୀ ଖେରା ।