ଜୀବନର ନିରାପତ୍ତା ଓ ବଞ୍ଚିବାର ଆତ୍ମସମ୍ମାନ ପାଇଁ ଆନ୍ଦୋଳନ କରୁଥିବା କାଶ୍ମୀରୀ ପଣ୍ଡିତଙ୍କ ଆନ୍ଦୋଳନ ଆଜି ୧୮୩ ଦିନରେ ପହଞ୍ଚିଛି। ଗତକାଲି ଦିଲ୍ଲୀ ପ୍ରେସକ୍ଲବ ନିକଟରେ ଅନୁଷ୍ଠିତ ବିକ୍ଷୋଭର ନେତୃତ୍ଵ ନେଇ ଅଖିଳ ଭାରତ ଯୁବ କାଶ୍ମୀରୀ ପଣ୍ଡିତ ସମାଜ ସଭାପତି ଆର କେ ଭଟ୍ଟ କହିଛନ୍ତି ଯେ କେନ୍ଦ ସରକାର ଆମକୁ ବର୍ଷ ବର୍ଷ ଧରି ଭଣ୍ଡାଇ ଚାଲିଛି, ନିଜ ଦେଶରେ ଶରଣାର୍ଥୀ ଜୀବନ ଯାପନ କରୁଥିବା କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଓ ସେମାନଙ୍କ ନିର୍ଯାତନାକୁ ନେଇ ରାଜନୈତିକ ଦଳଗୁଡିକ ଫାଇଦା ହାସଲ କରୁଥିବା ବେଳେ ସେମାନଙ୍କ ସମସ୍ଯାର ସ୍ଥାୟୀ ସମାଧାନ କରାଯାଉନାହିଁ। ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ଯକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀମାନେ। ସେମାନେ କହିଛନ୍ତି ଯେ ନିଜ ଜୀବନ ପ୍ରତି ବିପଦର ଭୟରେ ସରକାରୀ ଚାକିରୀ କରୁଥିବା କର୍ମଚାରୀମାନେ ନିଜ କର୍ମସ୍ଥଳିରେ ଯୋଗ ଦେଇ ପାରୁନଥିବାରୁ ସେମାନଙ୍କୁ ଦରମା ମିଳୁନାହିଁ, ଏପରି ଅମାନବିକ କଟକଣାର ଉଚ୍ଛେଦ ପାଇଁ ସେମାନେ ଦାବି କରିଛନ୍ତି।
ଦେଶର ବିଭିନ୍ନ ସ୍ଥାନରେ ଶରଣାର୍ଥୀ ଭାବେ ରହୁଥିବା କାଶ୍ମୀରୀ ପଣ୍ଡିତମାନଙ୍କୁ ସେମାନଙ୍କ ଜନ୍ମମାଟିରେ ନିରାପଦରେ ସମ୍ମାନର ସହ ଥଇଥାନ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ।