କର୍ଣାଟକର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଲିମ୍ବାବଲିଙ୍କ ଝିଅ ନିଜ ବାପାଙ୍କର ରାଜନୈତିକ କ୍ଷମତାର ବହପ ଦେଖାଇ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳିଗୁଲଜ କରିବା ଘଟଣା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଝିଅର ବ୍ୟବହାର ପାଇଁ ବିଜେପି ବିଧାୟକଙ୍କୁ ଅଗତ୍ଯା କ୍ଷମା ମାଗିବାକୁ ପଡିଛି ।
ଏହି ଘଟଣା ବିଧାନସଭା ନିକଟସ୍ଥ କ୍ୟାପିଟାଲ୍ ହୋଟେଲ ନିକଟରେ ଘଟିଛି ଯେଉଁଠାରେ ବିଧାୟକଙ୍କ ଏକ ବୈଠକ ଚାଲିଥିଲା। ବିଏମଡବ୍ଲ୍ୟୁ କାର ଚଳାଉଥିବା ବିଧାୟକଙ୍କ ଝିଅ ପୋଲିସର ଏକ କାରକୁ ଦ୍ରୁତ ବେଗରେ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା ବେଳେ ଡ୍ଯୁଟିରେ ଥିବା ପୋଲିସ କର୍ମଚାରୀମାନେ ଗାଡିଟିକୁ ଅଟକାଇଥିଲେ । ଏଥିରେ ଉତ୍ଯକ୍ତ ହୋଇ ବିଧାୟକଙ୍କ ଝିଅ ପୋଲିସକୁ ଗାଳିଗୁଲଜ କରିଥିଲେ। ଘଟଣାର ଫଟୋ ଉଠାଉ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଛାଡି ନଥିଲେ ଲିମ୍ବାବଲିଙ୍କ ଝିଅ, ନିଜକୁ ବିଧାୟକଙ୍କ ଝିଅ – ତାଙ୍କର କିଏ କଣ କରିବ କହି ସେମାନଙ୍କ କ୍ଯାମେରାକୁ ବାଡେଇ ଥିଲେ ସେ। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ପରେ ହିଁ କାରକୁ ଯିବାକୁ ଦେଇଥିଲା।