ପଶ୍ଚିମବଙ୍ଗ ରାଜ୍ଯପାଳ ଜଗଦୀପ ଧନକଡଙ୍କୁ ବିଜେପି ନେତୃତ୍ଵାଧୀନ ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏକଥା ଘୋଷଣା କରିଛନ୍ତି। ଦଳର ପାର୍ଲିଆମେଣ୍ଟାରି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉପସ୍ଥିତ ଥିଲେ ।
ଝାଡ଼ଖଣ୍ଡର ପୂର୍ବତନ ରାଜ୍ଯପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ରାଜ୍ୟପାଳ ପଦବୀର ଗୁରୁତ୍ୱ ସମ୍ପର୍କରେ ସମ୍ଭବତଃ ଏକ ରାଜନୈତିକ ସନ୍ଦେଶ ଦେବାକୁ ଚାହୁଁଛି ବୋଲି ମନେ କରାଯାଉଛି।