ମୋଦି ଥିବାଯାଏ ପ୍ରଧାନମନ୍ତ୍ରୀ ହୋଇପାରିବେନି ରାହୁଲ : ବିଶ୍ଵଶର୍ମା

ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବକ୍ତବ୍ଯକୁ ନେଇ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି ଆସାମା ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା । କର୍ଣ୍ଣାଟକର କନକଗିରିରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ଯାତ୍ରା ସଭାରେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେତେ ଦିନ ଯାଏଁ ନରେନ୍ଦ୍ର ମୋଦି ଅଛନ୍ତି, ସେତେଦିନ ଯାଏଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ !

ଆସାମ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଦେଶରେ ‘ଭାରତ ଯୋଡ଼’ ଯାତ୍ରା କରିବା ପରେ , ଦେଶ ବାହାରେ ଲଣ୍ଡନରେ ଯାଇ ‘ଭାରତ ତୋଡ଼’ ଯାତ୍ରା କରୁଛନ୍ତି । ସଭାରେ ଶ୍ରୀ ବିଶ୍ଵଶର୍ମା କହିଥିଲେ କି ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ଭାରତ ଯୋଡ଼ ଯାତ୍ରା କରୁଥିବା ବେଳେ ୧୯୪୭ରେ ଭାରତକୁ କିଏ ବିଭାଜନ କରିଥିଲା ବୋଲି ତାଙ୍କୁ ସେ ପ୍ରଶ୍ନ କରିଥିଲେ, ତାହାର ଉତ୍ତର କଂଗ୍ରେସ ଦଳ ପାଖରେ ନାହିଁ। ରାହୁଲ ଗାନ୍ଧୀ ବିଦେଶରେ ଭାରତକୁ ଅପମାନିତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଗସ୍ତ ସମୟରେ ମାତୃଭୂମିର ପ୍ରଂଶସା କରିଥାନ୍ତି ଓ ଦେଶର ପ୍ରଗତି ବିଷୟରେ ସୂଚନା ଦେଇଥାଆନ୍ତି ବୋଲି ସେ କହିଥିଲେ। ଏହି ସଭାରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଆମକୁ ଆଉ ବାବ୍ରି ମସଜିଦ ଦରକାର ନାହିଁ, ଆମକୁ ଏବେ ସମ୍ପୂର୍ଣ୍ଣ ରାମ ଜନ୍ମଭୂମି ଦରକାର ।

ଉଲ୍ଲେଖନୀୟ ଯେ ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ସଂସଦ ଜୋରଦାର ହଙ୍ଗାମା ହୋଇଥିଲା। ଭାରତର ନ୍ୟାୟପାଳିକା, ସେନା ଓ ସଂସଦକୁ ବିଦେଶରେ ଅପମାନିତ କରିଥିବାରୁ ରାହୁଲ ଗାନ୍ଧୀ କ୍ଷମା ପ୍ରାର୍ଥନା କରିବାକୁ ଏନ୍‌ଡିଏର ବହୁ ମନ୍ତ୍ରୀ ଦାବି କରିଥିଲେ। ଅନ୍ୟପକ୍ଷରେ ରାଜ୍ୟସଭାରେ ରାହୁଲ ଗାନ୍ଧୀଙ୍କ ନାମ ନେବାକୁ ନେଇ ବିରୋଧରେ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

Leave A Reply

Your email address will not be published.