ରାଜ୍ୟସଭା ପାଇଁ ଦଳୀୟ ଟିକଟ ନମିଳିବାରୁ ବରିଷ୍ଠ କଂଗ୍ରେସ ନେତା ଓ ଜି-23 ଗୃପର ଅନ୍ୟତମ ଅଗ୍ରଣୀ ମୁଖପାତ୍ର ଗୁଲାମ ନବୀ ଆଜାଦ ଦଳ ଉପରେ ଖପ୍ପା ହୋଇଛନ୍ତି, ତାଙ୍କର ସମର୍ଥକ ମାନେ ଦଳ ବିରୋଧରେ ନାରାବାଜି କରିଛନ୍ତି ।
ଆଜାଦଙ୍କ ଅସନ୍ତୋଷକୁ ଲାଘବ କରିବା ପାଇଁ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ତାଙ୍କୁ ଡକାଇ ଆଲୋଚନା କରିଥିଲେ ଓ ଦଳର ସଙ୍ଗଠନରେ ତାଙ୍କୁ ଏକ ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯିବାର ପ୍ରସ୍ତାବ ଦେଇଥିଲେ।
ମାତ୍ର ସୋନିଆଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଆଜାଦ କହିଲେ ଦଳର ନୂଆପିଢୀ ନେତାଙ୍କୁ ସାଙ୍ଗଠନିକ ପଦବୀରେ ରଖାଯାଉ । ଉଲ୍ଲେଖନୀୟ ଯେ ବିହାରର ଏକ ଆଞ୍ଚଳିକ ଦଳ ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ଆଜାଦଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ମାତ୍ର ଏହି ପ୍ରସ୍ତାବକୁ ନାକଚ କରି ସେ କହିଥିଲେ ଯେ ନିଜ ରାଜନୈତିକ ଜୀବନର ଶେଷ ପର୍ଯ୍ୟାୟରେ ସେ କଂଗ୍ରେସ ଦଳକୁ ହିଁ ରାଜ୍ୟସଭାରେ ପ୍ରତିନିଧିତ୍ବ କରିବାକୁ ଚାହାନ୍ତି ।
କଂଗ୍ରେସ ଦଳ ତାଙ୍କୁ ପ୍ରାର୍ଥୀ କରିବାର ଭରସା ଦେଇ ଶେଷ ମୁହୂର୍ତ୍ତରେ ପ୍ରତାରିତ କରିବା ଘଟଣାରେ ସେ ନିରାଶ ହୋଇଛନ୍ତି । ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହା ଉପରେ ସମସ୍ତେ ନଜର ରଖିଛନ୍ତି ।