ନୂଆଦିଲ୍ଲୀ : ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ। ସିକିମ, ମହାରାଷ୍ଟ୍ର, ଅରୁଣାଚଳପ୍ରଦେଶ, ଝାଡଖଣ୍ଡ, ଆସାମ, ହିମାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ଲଦାଖ, ମେଘାଳୟ, ବିହାର, ମଣିପୁର ଓ ନାଗାଲାଣ୍ଡରେ ରାଜ୍ୟପାଳ ବଦଳିଛନ୍ତି। କିଛି ରାଜ୍ୟପାଳଙ୍କ ଇସ୍ତଫା ମଞ୍ଜୁର କରାଯାଇଥିବା ବେଳେ ଆଉ କିଛିଙ୍କୁ ପରିବର୍ତ୍ତନ କରାଯାଇଛି। ଏହି ନିର୍ଦ୍ଦେଶକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି।
ସେହିପରି ୨ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଅନ୍ୟମାନଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବଦଳି ହୋଇ ତାଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଛି। ଅନ୍ୟପଟେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏସ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନୂଆ ଦାୟିତ୍ୱ ମିଳିଛି।
ଛତିଶଗଡ଼ର ରାଜ୍ୟପାଳ ସୁଶ୍ରୀ ଅନୁସୂୟା ୱିକିୟେଙ୍କର ମଣିପୁର, ମଣିପୁରର ରାଜ୍ୟପାଳ ଲା. ଗଣେଶନଙ୍କର ନାଗାଲାଣ୍ଡ, ବିହାରର ରାଜ୍ୟପାଳ ଫଗୁ ଚୌହାନଙ୍କର ମେଘାଳୟ, ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କର ବିହାର, ଝାଡ଼ଖଣ୍ଡର ରାଜ୍ୟପାଳ ରମେଶ ବୈସଙ୍କର ମହାରାଷ୍ଟ୍ର ଏବଂ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଅବସରପ୍ରାପ୍ତ ବ୍ରିଗେଡିୟର ଡକ୍ଟର୍ ବି. ଡି. ମିଶ୍ରାଙ୍କର ଲଦାଖକୁ ବଦଳି କରାଯାଇଛି।
ନୂତନ ରାଜ୍ୟପାଳ ଭାବେ ଅରୁଣାଚଳ ପ୍ରଦେଶରେ ଲେଫ୍ଟନାଣ୍ଟ୍ ଜେନେରାଲ୍ କୈବଲ୍ୟ ତ୍ରିବିକ୍ରମ ପରନାଏକ, ସିକିମରେ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଝାଡ଼ଖଣ୍ଡରେ ସି. ପି. ରାଧାକୃଷ୍ଣନ, ହିମାଚଳ ପ୍ରଦେଶରେ ଶିବ ପ୍ରତାପ ଶୁକ୍ଳ, ଆସାମରେ ଗୁଲାବଚାନ୍ଦ୍ କଟାରିୟାଙ୍କୁ ନିଯୁକ୍ତି ମିଳିଥିବା ଜଣାଯାଇଛି।