2019 ମସିହାରେ ହାଇଦ୍ରାବାଦରେ ଜଣେ ପ୍ରାଣୀ ଚିକିତ୍ସା ସହାୟିକା ମହିଳାଙ୍କୁ 4 ଜଣ ଦୁର୍ବୁତ୍ତ ଦୁଷ୍କର୍ମ କରିବା ପରେ ନିଆଁ ଢାଳି ହତ୍ୟା କରିଥିଲେ । ଏହି ଘଟଣା ପରେ ହାଇଦ୍ରାବାଦ ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଧରିବା ପରେ ସିନ ରି-କ୍ରିଏସନ ବେଳେ ସେମାନେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ଏନକାଉଣ୍ଟର କରିଦେଇଥିଲେ । ସେତେବେଳେ ପୋଲିସର ଏହି ପଦକ୍ଷେପକୁ ଲୋକେ ପ୍ରଶଂସା କରିଥିବା ବେଳେ ବର୍ତମାନ ସୁପ୍ରିମକୋର୍ଟ ଏହି ଘଟଣାକୁ ଏକ ଫେକ ଏନକାଉଣ୍ଟର ବୋଲି ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ସ୍ପେଶାଲ କମିଶନଙ୍କ ଅନୁଯାୟୀ ଏହି ଏନକାଉଣ୍ଟରରେ ହତ୍ୟା କରାଯାଇଥିବା ଚାରିଜଣ ଅଭିଯୁକ୍ତ ଯୁବକଙ୍କ ମଧ୍ୟରୁ ତିନିଜଣ ନାବାଳକ। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ 10 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କ ନାମରେ ହତ୍ୟା ମାମଲା ଦାୟର କରିବା ପାଇଁ କହିଛନ୍ତି ସିରପୁରକର କମିଶନ।
ସୂଚାନୁସାରେ 2019 ନଭେମ୍ବର ମାସରେ ହାଇଦ୍ରାବାଦ ନିକଟ ଶ୍ୟାମଶାବାଦରେ ଜଣେ 26 ବର୍ଷ ବୟସ୍କ ପ୍ରାଣୀ ଚିକିତ୍ସକ ମହିଳାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ 4 ଜଣ ଅଭିଯୁକ୍ତ ମହିଳାଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଏବଂ ତା’ପରେ ତାଙ୍କ ମୃତଦେହକୁ ଏକ ଟ୍ରକରେ ଭରି ନେଇ ଏକ ବ୍ରିଜ ତଳେ ନିଆଁ ଲଗାଇ ଜାଳିଦେଇଥିଲେ। ଏହି ଘଟଣା ଦେଶବ୍ୟାପୀ ଚର୍ଚ୍ଚାର କାରଣ ହୋଇଥିବା ବେଳେ କୋର୍ଟର ଶୁଣାଣି ପାଇଁ ଅପେକ୍ଷା ନକରି ତେଲେଙ୍ଗାନା ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା।