ଗତମାସରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ଫଳରେ ଖାଲି ପଡିଥିବା ମୌନପୁରୀ ଲୋକସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଦଳ ସୁପ୍ରିମୋ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲଙ୍କୁ ପ୍ରାର୍ଥିନୀ ଘୋଷଣା କରାଯାଇଛି। ପୂର୍ବରୁ ସେ କନ୍ନୌଜ ଲୋକସଭା ଆସନରୁ ଦୁଇ ଥର ସାଂସଦ ନିର୍ବାଚିତା ହୋଇଛନ୍ତି। ତେବେ ୨୦୧୯ରେ ଏହି ଲୋକସଭା ଆସନରୁ ନିର୍ବାଚନ ଲଢ଼ି ସେ ବିଜେପିର ସୁବ୍ରତ ପାଠକଙ୍କ ଠାରୁ ହାରି ଯାଇଥିଲେ। ୪୪ ବର୍ଷୀୟା ଡିମ୍ପଲ ଏବେ ୫ମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି।
ମୁଲାୟମ ସିଂହଙ୍କ ବୋହୂ ଭାବେ ସେ ଅନୁକମ୍ପା ଭୋଟ ପାଇ ଏଠାରୁ ସେ ସହଜରେ ବିଜୟ ହାସଲ କରିବେ ବୋଲି ଅନୁମାନ କରାଯାଉଛି।
ଡିସେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶର ମୌନପୁରୀ ଲୋକସଭା ଆସନ ସମେତ ୪ ରାଜ୍ୟର ୪ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ସେଗୁଡିକ ହେଲା, ଓଡ଼ିଶାର ପଦ୍ମପୁର, ରାଜସ୍ଥାନର ସର୍ଦ୍ଦାରସହର, ବିହାରର କୁରହାନି ଓ ଛତିଶଗଡ଼ର ଭାନୁପ୍ରତାପପୁର। ଉତ୍ତର ପ୍ରଦେଶର ରାମପୁର ଆସନ ପାଇଁ ଉପନିର୍ବାଚନକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ସ୍ଥଗିତ ରଖାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୫ ତାରିଖରେ ଗୁଜରାଟ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ମଧ୍ୟ ଅନୁଷ୍ଠିତ ହେବ।