ଗୋଆର ମୋଟ ୪୦ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସର ଥିଲେ ୧୧ ବିଧାୟକ, ବିଜେପି ପାଖରେ ଥିଲେ ମୋଟ ୨୦ ଜଣ ସଦସ୍ୟ।
ନାଟକୀୟ ଘଟଣାକ୍ରମରେ କଂଗ୍ରେସର ୮ ବିଧାୟକ ଆଜି ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ଏହାର ସଭ୍ୟ ସଂଖ୍ୟା ୩କୁ ଖସି ଆସିଛି।
ଦଳତ୍ଯାଗ କରିଥିବା ନେତାମାନେ ହେଲେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋ, ଡି ଲୋବୋ, ରାଜେଶ ଫାଲଦେସାଇ, କେଦାର ନାୟକ, ସଙ୍କଳ୍ପ ଆମୋନକର, ଆଲେକ୍ସୋ ସେକିରା ଓ ରୁଡୋଲଫ ଫର୍ଣାଡଭିସ।
ଦେଶରେ କଂଗ୍ରେସ ପକ୍ଷରୁ ଭାରତ ଯୋଡୋ ଅଭିଯାନ ଚାଲୁଥିବା ବେଳେ ଗୋଆରେ ଏଭଳି ଏକ ପ୍ରତିକୂଳ ଘଟଣା ସମ୍ପର୍କରେ ନିଜର ମତ ରଖି ବିଧାନସଭାରେ ବିରୋଧୀ ଦଳ ନେତା ଥିବା ମାଇକେଲ ଲୋବୋ କହିଛନ୍ତି ଯେ ଏହି ଅଭିଯାନର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡିବ ନାହିଁ, ଦଳର କେନ୍ଦ୍ରୀୟ ନେତାମାନଙ୍କ ଦାୟିତ୍ୱହୀନତା ଫଳରେ ଦେଶର ବଡ ବଡ ନେତା ଦଳ ଛାଡି ପଳାଉଛନ୍ତି, ସେହି କ୍ରମରେ ଗୋଆରେ ‘କଂଗ୍ରେସ ଛୋଡୋ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଉଲ୍ଲେଖନୀୟ ଯେ ଚଳିତ ବର୍ଷ ଆରମ୍ଭରୁ ଗୋଆର କଂଗ୍ରେସ ନେତା ମନ୍ଦିର ଏବଂ ଚର୍ଚ୍ଚ ଯାଇ କଂଗ୍ରେସର ଅନୁଗତ ହୋଇ ରହିବେ ବୋଲି ଶପଥ ନେଇଥିଲେ।
ଏବେ ଯେତେବେଳେ ଦିଗମ୍ଭରଙ୍କ ସମେତ କଂଗ୍ରେସ ନେତାମାନେ ଦଳ ଛାଡ଼ି ବିଜେପିରେ ମିଶିଲେ ସାମ୍ବାଦିକମାନେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର କାମତଙ୍କୁ ପୁରୁଣା କଥା ମନେ ପକାଇ ପ୍ରଶ୍ନ କରିବାରୁ ସେ ପରିହାସ କରି କହିଲେ ଯେ ଆଗରୁ ସେମାନେ ସେପରି ଶପଥ କରିଥିଲେ, ମାତ୍ର ଏବେ ମନ୍ଦିର ଓ ଚର୍ଚ୍ଚକୁ ଯାଇ ଆଉଥରେ ଈଶ୍ଵରଙ୍କୁ ପଚାରିବାରେ ନିଜର ଭବିଷ୍ୟତ ସୁରକ୍ଷା ପାଇଁ ଦଳ ଛାଡି ବିଜେପିରେ ଯୋଗ ଦେବାକୁ ସେ ପରାମର୍ଶ ଦେଲେ !!