ନୂଆଦିଲ୍ଲୀ : ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଅଡୁଆ। ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ପୁଣି ଗମ୍ଭୀର ହେଲା ସମସ୍ୟା। ଫିଡବ୍ୟାକ୍ ୟୁନିଟ ସହାୟତାରେ ଗୁଇନ୍ଦାଗିରି କରିବା ମାମଲାରେ ଗୃହ ମନ୍ତ୍ରଣାଳୟ ତରଫରୁ ସିବିଆଇ ତଦନ୍ତକୁ ଅନୁମତି ଦିଆଯାଇଛି।
କିଛିଦିନ ପୂର୍ବେ ସିବିଆଇ ତରଫରୁ ଫିଡବ୍ୟାକ୍ ୟୁନିଟ ମାଧ୍ୟମରେ ଗୁଇନ୍ଦା ଗିରି କରିବା ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅନୁମତି ମାଗିଥିଲା। ଉପ ରାଜ୍ୟପାଳଙ୍କ ସୁପାରିଶ ଓ କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏବେ ମନୀଷ ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ସିବିଆଇ ତଦନ୍ତ କରାଯିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ନାମରେ ସିବିଆଇରେ ତଦନ୍ତ ଚାଲିଛି। ଏନେଇ ସିବିଆଇ ତରଫରୁ ସିସୋଦିଆଙ୍କ ବାସଭବନ ଓ ବ୍ୟାଙ୍କ ଲକର ଉପରେ ଚଢାଉ କରାଯାଇଥିଲା। ଏହି ମାମଲାରେ ସିବିଆଇରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ କରାଯାଇଥିବା ବେଳେ ସେ ବଜେଟ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଦର୍ଶାଇ ଆଉ କିଛି ଦିନ ସମୟ ମାଗିଛନ୍ତି।