ମୋଦିଙ୍କୁ ସମାଲୋଚନା : ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ନାମରେ ଏତଲା

ବିଜେପି ମନ୍ତ୍ରୀ ନେତା ଓ କର୍ମୀ ବିରୋଧୀ ଦଳ ନେତାଙ୍କ ବିରୋଧରେ ଅନାପସନାପ ମନ୍ତବ୍ୟ ଦେଇ କଟୁ ଆକ୍ଷେପ କରି ପାରିବେ, ମାତ୍ର ବିରୋଧୀ ଦଳର କେହି ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରତିଶୋଧ ପରାୟଣତା ପରି ପ୍ରତୀତ ହେଉଥିବା କୌଣସି ପଦକ୍ଷେପ ବିରୋଧରେ ପାଟି ଖୋଲିଲେ ସେମାନଙ୍କ ନାମରେ ମାମଲା ରୁଜୁ କରାଯିବ, ସରକାରୀ କ୍ଷମତାର ପ୍ରୟୋଗ କରାଯାଇ ସେମାନଙ୍କୁ ସାବାଡ କରାଯିବ – ଏଭଳି ଏକ ଆଶଙ୍କା ପ୍ରକଟ କରି ବରିଷ୍ଠ ପତ୍ରକାର ଜାଫର ଆଘା ଆଜି ଲେଖିଛନ୍ତି ଯେ ଆଗକୁ କଂଗ୍ରେସ ନେତାମାନଙ୍କୁ ପୋଲିସ ଗିରଫଦାରୀ ଓ ଅତ୍ଯାଚାର ପାଇଁ ପ୍ରସ୍ତୁତ ରହିବାକୁ ହେବ, ସେମାନଙ୍କ ସଙ୍ଗଠନ ଉପରେ ବୁଲଡୋଜର ଚଢାଇ ଦିଆଯିବ, ସେମାନଙ୍କୁ କୌଣସି ପ୍ରକାର ପ୍ରତିବାଦ ସମାବେଶ କରିବାକୁ ଦିଆଯିବ ନାହିଁ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡିକୁ ସେମାନଙ୍କ ପଛରେ ଲଗାଇ ଦିଆଯିବ ! ସଂଯୋଗବଶତଃ ଆଜି ସେହିଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ନାଗପୁରରୁ !

ନାଗପୁର କଂଗ୍ରେସର ପୂର୍ବତନ ସଭାପତି ତଥା ରାଜ୍ୟର ଜଣେ ଟାଣୁଆ କଂଗ୍ରେସ ନେତା ଶେଖ୍ ହୁସେନଙ୍କ ବିରୋଧରେ ନାଗପୁର ବିଜେପି ପକ୍ଷରୁ ନାଗପୁରରେ ଗତକାଲି ରାତିରେ ଏକ ଏତାଲା ଦାୟର କରାଯାଇଛି । ମନି ଲଣ୍ଡରିଙ୍ଗ ଅଭିଯୋଗରେ ଇଡି ଦ୍ଵାରା ରାହୁଲ ଗାନ୍ଧୀଙ୍କୁ ହାଜିରା-ସମନ ଜାରି କରାଯାଇଥିବା ପ୍ରତିବାଦରେ ନାଗପୁରରେ ଅନୁଷ୍ଠିତ ଏକ ଶୋଭାଯାତ୍ରାରେ ଶ୍ରୀ ହୁସେନ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଅଭିସନ୍ଧିମୂଳକ ମନସାକୁ ସମାଲୋଚନା କରିଥିବାରୁ ଏହାଫଳରେ ଶାନ୍ତିଭଙ୍ଗ ହେବାର ଆଶଙ୍କା ରହିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି ।

Leave A Reply

Your email address will not be published.