ଏବେ ଆକ୍ସନ ମୁଡରେ ବିଜେପିର କେନ୍ଦ୍ର ସରକାର। ସିବିଆଇ ଓ ଇଡିକୁ ଆୟୁଧ କରି ବିରୋଧୀଙ୍କୁ ସାବାଡ଼ କରିବାକୁ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରାଯାଉଥିବା ଭଳି ମନେ କରାଯାଉଛି। ସିବିଆଇ ପୁରୁଣା ଫାଇଲ ଖୋଜୁଥିବା ବେଳେ ଇଡି ମଧ୍ୟ ଚୁପ ହୋଇ ବସିନାହିଁ । ସିବିଆଇ ଵା ଇଡି ହାତରେ ମସଲା ନଥିଲେ, ଥାନାରେ ଦାୟର ହୋଇଥିବା ପୁରୁଣା ମାମଲା ଖୋଜା ପଡୁଛି । ତଦନ୍ତକାରୀ ସଂସ୍ଥାଗୁଡିକୁ ଲଗାଇ ସରକାରଙ୍କ ଏପରି କାର୍ଯ୍ୟକ୍ରମ ବୁଦ୍ଧିଜୀବୀମାନଙ୍କୁ ଚିନ୍ତାରେ ପକାଇଛି ।
ଗତକାଲି ଲାଲୁ ପ୍ରସାଦ ଯାଦବଙ୍କ ଘରେ ସିବିଆଇ ଚଢ଼ାଉ ହୋଇଛି, ପରିବାରର ସମସ୍ତ ସଦସ୍ୟଙ୍କ ସମ୍ପତ୍ତି ବିବରଣୀ ଯାଞ୍ଚ କରିଛି । କଂଗ୍ରେସର ଚିଦାମ୍ବରମ ଓ ତାଙ୍କପୁଅ କାର୍ତ୍ତୀଙ୍କ ଘରେ ଚଢ଼ାଉ ହୋଇଥିଲା । ଆପ ନେତା ଯଶୋବନ୍ତ ସିଂଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା ସିବିଆଇ। ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂଙ୍କୁ ଏକ ୩୦ ବର୍ଷ ତଳର ଫଇସଲା ହୋଇଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରାଗଲା । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀମାନଙ୍କୁ ବଦନାମ କରିବାକୁ ଏପରି ଆଗୁଆ ପଦକ୍ଷେପ ନିଆଯାଉଛି ବୋଲି ମନେ କରାଯାଉଛି।