ଦିଲ୍ଲୀରେ ହିନ୍ଦୁ ମହାସଭା ଓ ଅନ୍ୟ ହିନ୍ଦୁ ସଂଗଠନର ଏକ ସଭାରେ ମୁସଲମାନମାନଙ୍କୁ ବୟକଟ କରିବାକୁ ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ପରଭେଶ ବର୍ମା ଦେଇଥିବା ଆହ୍ୱାନ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଉତ୍ତର-ପୂର୍ବ ଦିଲ୍ଲୀର ଦିଲସଦ ଗାର୍ଡେନରେ ଅନୁଷ୍ଠିତ ଏହି ସଭାରେ ମୁସଲମାନ ସମ୍ପ୍ରଦାୟର ନାମ ସିଧାସଳଖ ନନେଇ ପରଭେଶ ଏପରି ଆହ୍ଵାନ ଦେଇଛନ୍ତି।
ଗତ ସପ୍ତାହରେ ପୂର୍ବ-ଦିଲ୍ଲୀର ସୁନ୍ଦର ନଗରୀରେ ରାତିରେ ଘରକୁ ଫେରୁଥିବା ମନୀଶ ନାମକ ଜଣେ ବ୍ଯକ୍ତିଙ୍କୁ ପୂର୍ବ ଶତୃତା ହେତୁ ଆକ୍ରମଣ କରି ହତ୍ୟା କରାଯାଇଥିଲା, ତାଙ୍କ ଦେହର ୨୦ ଯାଗାରେ ଛୁରାମାଡ଼ ହୋଇଥିଲା, ହତ୍ୟାକାଣ୍ଡ ଘଟାଇଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନେ ହେଲେ ସାଜିଦ୍, ବିଲାଲ୍, ଫଇଜନ୍, ଆଲାମ, ମୋହସିନ୍ ଓ ସକିର୍। ମନୀଶ ହତ୍ୟାକାଣ୍ଡ ପ୍ରତିବାଦ ସଭାରେ ପରଭେଶ ଆହ୍ଵାନ ଦେଇ କହିଲେ ଯେ ଏହି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ବୟକଟ କରାଯିବା ଦରକାର, ସେମାନଙ୍କ ଦୋକାନରୁ ସଉଦା କିଣିବା ଅଥବା ସେମାନଙ୍କ ସହ କୌଣସି ପ୍ରକାର ସମ୍ପର୍କ ରଖିବା ଅନୁଚିତ !