ମହାରାଷ୍ଟ୍ରରେ ନାଟ ଲଗାଉଛି ବିଜେପି , ଟାର୍ଗେଟରେ ଅଛି ଝାଡ଼ଖଣ୍ଡ ରାଜସ୍ଥାନ ଓ ପଶ୍ଚିମବଙ୍ଗ !

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା , ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଆଜି ବିଜେପିର ରାଜନୈତିକ ଖେଳ ସମ୍ପର୍କରେ ଏକ ସଭାରେ କହିଛନ୍ତି ଯେ ମହାରଷ୍ଟ୍ରରେ ଉଦ୍ଧବ ଥାକେରଙ୍କ ସରକାରର ପତନ ଯେପରି ଭାବରେ ହେବାକୁ ଯାଉଛି, ଠିକ ସେହିପରି ଭାବରେ ଝାଡ଼ଖଣ୍ଡ ଓ ରାଜସ୍ଥାନର ଅଣ ବିଜେପି ସରକାର ମଧ୍ୟ ଭାଙ୍ଗିପଡିବ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାରକୁ ମଧ୍ୟ ନିର୍ଦ୍ଧାରିତ ୫ ବର୍ଷ ପୁରଣ କରିବାକୁ ଦିଆଯିବ ନାହିଁ !

ଅଣବିଜେପି ସରକାରଗୁଡିକୁ ଭାଙ୍ଗିବା ପାଇଁ ବିଜେପିର ହୀନ ରାଜନୈତିକ ଅଭିସନ୍ଧି କଥା ଶୁଭେନ୍ଦୁଙ୍କ ବକ୍ତବ୍ୟରେ ଖୋଲି ଯାଇଥିବା ବେଳେ ତାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ କୁନାଲ ଘୋଷ। ଭୋଟରଙ୍କ ଦ୍ଵାରା ପ୍ରତ୍ଯାଖ୍ଯାତ ହେବା ପରେ କ୍ଷମତା ଦଖଲ ପାଇଁ ବିଜେପିର ଏଭଳି କାର୍ଯ୍ୟ ରାଜନୀତିର ଇତିହାସରେ କଳଙ୍କ ହୋଇ ରହିଯିବ ବୋଲି କଟାକ୍ଷ କରି କହିଛନ୍ତି ଶ୍ରୀଘୋଷ ।

ସେପଟେ ମହାରାଷ୍ଟ୍ରରେ ରାଜନୈତିକ କନ୍ଦଳ ସୃଷ୍ଟି କରାଇ କନ୍ଦଳ ଘାମାଘୋଟ ହେବା ବେଳକୁ ଗତକାଲି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପି ନେତା ଦେବେନ୍ଦ୍ର ଫର୍ଣ୍ଣଡାଭିସ ଗତକାଲି ନିଜ ସରକାରୀ ବାସଭବନାରେ ଦଳର କୋର କମିଟି ବୈଠକ ଡକାଇ ଦଳର ପରବର୍ତ୍ତୀ ପଦକ୍ଷେପ କଣ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ଓ ଆଜି ସକାଳୁ ଦିଲ୍ଲୀ ବାହାରି ଯାଇଛନ୍ତି ।

ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ପରାମର୍ଶ କରିବା ପରେ ରାଜ୍ୟରେ ଉଦ୍ଧବ ଥାକେର ସରକାରକୁ ହଟାଇ ଦଳ ଶାସନ ଗାଦି ଦଖଲ କରିବାକୁ ଶେଷ ଗୋଟି ଚାଳନା କରିବ ବୋଲି ଶୁଣିବାକୁ ମିଳିଛି ।

ଉଲ୍ଲେଖନୀୟ ଯେ ଶିବସେନା ବିଦ୍ରୋହୀ ବିଧାୟକମାନଙ୍କ ନେତା ଏକନାଥ ସିନ୍ଦେ ମଧ୍ୟ ଆଜି ଦିଲ୍ଲୀ ଯାଉଛନ୍ତି ସେଠାରେ ଶ୍ରୀ ଫର୍ଣ୍ଣଡାଭିସଙ୍କୁ ଭେଟି କଥାବାର୍ତ୍ତା ହେବାକୁ ।

ଏଥିରେ ମହାରାଷ୍ଟ୍ରରେ ବିଜେପି ଲଗାଇଥିବା ନାଟର ଅନ୍ତିମ ଦୃଶ୍ୟ ଖୁବଶୀଘ୍ର ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଇଛି

Leave A Reply

Your email address will not be published.