ଦୁର୍ନୀତି ପାଇଁ ବିଦାହେଲେ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ

ଦୁର୍ନୀତି ଅଭିଯୋଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମନ୍ତ୍ରୀମଣ୍ଡଳର ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଘଲାଙ୍କୁ ବରଖାସ୍ତ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଟେଣ୍ଡର ଉପରେ ସେ 1% କମିଶନ ନେଉଥିବା ସଂକ୍ରାନ୍ତରେ ଠୋସ ପ୍ରମାଣ ପାଇବା ପରେ ମାନ ଏପରି ପଦକ୍ଷେପ ନେଇଛନ୍ତି । ମନ୍ତ୍ରୀମଣ୍ଡଳରୁ ବିଦା ହେବା ପରେ ପଞ୍ଜାବ ପୋଲିସର ଦୁର୍ନୀତି ନିବାରଣ ଶାଖା ଶ୍ରୀ ସିଙ୍ଘଲାଙ୍କୁ ଗିରଫ କରିଛି । ନିଜ ମନ୍ତ୍ରୀମଣ୍ଡଳର ଜଣେ ସଦସ୍ୟଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏହା ହେଉଛି ଦ୍ୱିତୀୟ ଘଟଣା। ପୂର୍ବରୁ 2015ରେ ଆମ ଆଦମୀ ପାର୍ଟିରେ ସୁପ୍ରିମୋ ଅରବିନ୍ଦ କେଜରିବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିଜ କ୍ୟାବିନେଟର ଜଣେ ମନ୍ତ୍ରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିର ଛାୟା ଆରୋପ କରି ନିଜ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟଙ୍କୁ ବିଦା କରିଛନ୍ତି, ମାତ୍ର ତାହାକୁ ନବୀନଙ୍କ ରାଜନୈତିକ ଗୋଟି ଚାଳନା ଭାବରେ ବିବେଚନା କରାଯାଇଛି । କାରଣ ସେସବୁ ଦୁର୍ନୀତି କଣ ତାହା କେହି ଜାଣିନାହାନ୍ତି । ସିଙ୍ଘଲାଙ୍କୁ ମନ୍ତ୍ର୍ରୀମଣ୍ଡଳରୁ ବହିଷ୍କାର କରିବା ପରେ ମାନ କହିଛନ୍ତି ଯେ ଦଳର ନୀତି ଓ ଆଭିମୁଖ୍ୟ ଦୃଷ୍ଟିରୁ ସରକାରରେ ଅଣୁମାତ୍ର ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ ।

Leave A Reply

Your email address will not be published.