କଂଗ୍ରେସ ପକ୍ଷରୁ ଭାରତ ଯୋଡୋ ଅଭିଯାନ ଚାଲୁଥିବା ବେଳେ ଦଳକୁ ଝଟକା ଦେଇ ଆସାମ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କାମରୁଲ ଇସଲାମ ଏହାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟରେ ଗତ କିଛି ମାସ ଧରି ଦଳର ନେତୃତ୍ବକୁ ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ତାଙ୍କୁ ଅତିଷ୍ଠ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଗତ କିଛି ଦିନ ମଧ୍ୟରେ ଅନେକ ବଡ ନେତା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ନିକଟରେ ଗୁଲାମ ନବୀ ଆଜାଦ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।
ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ କାମରୁଲ ଇସଲାମ ଦଳରେ ତାଙ୍କୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି, ମାତ୍ର ଦଳର ସାମ୍ପ୍ରତିକ ସ୍ଥିତିକୁ ନେଇ ସେ ଅସନ୍ତୋଷ ପ୍ରକାଶ କରି ଲେଖିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଆସାମ ପ୍ରଦେଶ କଂଗ୍ରେସରେ ଯେଉଁ ପ୍ରକାର ବିଶୃଙ୍ଖଳ ବାତାବରଣ ସୃଷ୍ଟି ହୋଇଛି ତାହା ତାଙ୍କୁ ଏପରି ପଦକ୍ଷେପ ନେବାକୁ ବାଧ୍ୟ କରିଛି !
ରାଷ୍ଟ୍ରପତି ନିର୍ବାଚନରେ ଦଳର ବିଧାୟକଙ୍କ ଦ୍ୱାରା କ୍ରସ ଭୋଟିଂ ବିଷୟ ରାଜ୍ୟ କଂଗ୍ରେସ ସଭାପତି ଭୁପେନ ବୋରା ଏବଂ ଅନ୍ୟ ବରିଷ୍ଠ ନେତାମାନେ ସ୍ୱୀକାର କରିଥିଲେ। ମାତ୍ର ବିଶୃଙ୍ଖଳିତ ବିଧାୟକମାନଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ, ଏହା ଫଳରେ ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗି ଯାଉଛି।