ଧାନବାଦରେ ବିବାହ କାର୍ଯ୍ୟକ୍ରମ ବେଳେ ଭୟାବହ ଅଗ୍ନିକାଣ୍ଡ, ୧୪ ଜୀବନ୍ତ ଦଗ୍ଧ

ଧାନବାଦ: ବିହାରର ଧାନବାଦରେ ଥିବା ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଶୀର୍ବାଦ ଆପାର୍ଟମେଣ୍ଟରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୨ରୁ ଅଧିକ ଆହତ ହୋଇଛନ୍ତି।

ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆପାର୍ଟମେଣ୍ଟର ଅନେକ ଲୋକ ଏକାଠି ହୋଇଥିଲେ। ଏହି ସମୟରେ ଅଗ୍ନିକାଣ୍ଡ ଘଟିଥିଲା।ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୧୦ ମହିଳା ଓ ୩ ଶିଶୁ ଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା କୁହାଯାଉଛି। ଦୁଇ ମହିଳା ଏବଂ ୫ ବର୍ଷର ଶିଶୁଙ୍କର ମଧ୍ୟ ଏଥିରେ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଏବେ ବି ବିଲ୍ଡିଂରେ ଅନେକ ଲୋକ ଫସି ରହିଛନ୍ତି।

କୋଠାର ତଳ ଭାଗରେ ନିଆଁ ଲାଗିଛି, ଯାହାକି ଉପର କୋଠାକୁ ଧୀରେ ଧୀରେ ବ୍ୟାପୁଛି। ତେବେ ଏପର୍ଯ୍ୟନ୍ତ ୨୫ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୧୦ ମହଲା ବିଶିଷ୍ଟ ଆଶୀର୍ବାଦ ଟାୱାରରେ ଭୀଷଣ ନିଆଁ କାରଣରୁ ଧାଁଦୌଡ଼ ସ୍ଥିତି ରହିଛି। ନିଆଁ ବ୍ୟାପିଯିବା କାରଣରୁ ଦମକଳ ବାହିନୀକୁ ବହୁ ସମସ୍ୟା ହୋଇଥିଲା।

ଗ୍ୟାସ୍‌ ସିଲିଣ୍ଡର ଫାଟିବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ୨୦ରୁ ଅଧିକ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମଙ୍ଗଳବାର ସନ୍ଧ୍ୟା ସାଢ଼େ ୬ଟାରେ ଏହି ନିଆଁ ତୃତୀୟ ମହଲାରେ ଲାଗିଥିଲା।

ଦେଖୁ ଦେଖୁ ଗୋଟିଏ ଫ୍ଲାଟରୁ ଅନ୍ୟ ଫ୍ଲାଟ ଏବଂ ଏମିତି ୫ମ ଫ୍ଲୋର ପର୍ଯ୍ୟନ୍ତ ନିଆଁ ବ୍ୟାପି ଯାଇଥିଲା।

ନିଆଁର ଭୟାବହତା ଏତେ ତୀବ୍ର ଥିଲା ଯେ ପୋଡ଼ି ହୋଇ ପ୍ରାଣ ହରାଇଥିବା ଲୋକମାନଙ୍କ ଶବ ଗୁଡ଼ିକର ଚିହ୍ନଟ ହୋଇପାରିନାହିଁ।

ଆପାର୍ଟମେଣ୍ଟର ଅଧିକାଂଶ ଫ୍ଲାଟ୍‌କୁ ଖାଲି କରି ଦିଆଯାଇଛି। ଅନେକ ଲୋକ ଫ୍ଲାଟର ଛାତ ଉପରକୁ ଯାଇ ଜୀବନ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି।

Leave A Reply

Your email address will not be published.