ନୀତି ଆୟୋଗ ବୈଠକ ଆଜି : ଯୋଗଦେବେ ନାହିଁ ୭ ମୁଖ୍ୟମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ନୀତି ଆୟୋଗ ବୈଠକରେ ଭାଗନେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ବା ଉପରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଆଜିର ଏହି ବୈଠକରେ ଯୋଗ ଦେବାକୁ ସଫା ସଫା ମନା କରି ଦେଇଛନ୍ତି ୬ ରାଜ୍ୟର ମୁଖ୍ୟମନ୍ତ୍ରୀ। ଏମାନେ ହେଲେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗର ମମତା ବାନାର୍ଜୀ, ରାଜସ୍ଥାନର ଅଶୋକ ଗେହଲଟ, ପଞ୍ଜାବର ଭଗବନ୍ତ ମାନ, ବିହାରର ନୀତୀଶ କୁମାର, ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ ଓ ତାମିଲନାଡ଼ୁର ଏମକେ ଷ୍ଟାଲିନ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ବୈଠକରେ ଯୋଗ ଦେଉନାହାନ୍ତି, ଅଥବା ଏଥିପାଇଁ ନିଜର କୌଣସି ପ୍ରତିନିଧି ପଠାଉ ନାହାନ୍ତି।
ଦିଲ୍ଲୀର ପ୍ରଗତି ମଇଦାନରେ ହେବାକୁ ଥିବା ଏହି ବୈଠକର ମୁଖ୍ୟ ଆଲୋଚ୍ଯ ପ୍ରସଙ୍ଗ ରଖାଯାଇଛି ୨୦୪୭ ସୁଦ୍ଧା ବିକଶିତ ଭାରତ : ଟିମ୍‌ ଇଣ୍ଡିଆର ଭୂମିକା। ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନୂତନ ପାର୍ଲିଆମେଣ୍ଟ ଭବନ ଉଦଘାଟନ କରୁଥିବା ବେଳେ ଆଜିର ନୀତି ଆୟୋଗ ବୈଠକକୁ ଏତେ ସଂଖ୍ୟକ ମୁଖ୍ୟମନ୍ତ୍ରୀ ବୟକଟ କରିବା ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି।

କେଜ୍ରିୱାଲଙ୍କ ଦିଲ୍ଲୀ ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ଖୋଲାଯୁଦ୍ଧ ପରିପ୍ରେକ୍ଷୀରେ ଆଆପ୍ ସୁପ୍ରିମୋ କହିଛନ୍ତି ଯେ ନୀତି ଆୟୋଗ ବୈଠକରେ ଯୋଗଦେବାର ପ୍ରଶ୍ନ ନାହିଁ, ନିଜ ଟ୍ଵିଟର ହାଣ୍ଡେଲରେ ସେ ଲେଖିଛନ୍ତି ଯେ ଯଦି ଦେଶର ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଆଦେଶକୁ ଖାତିର କରୁ ନାହାନ୍ତି ତା’ ହେଲେ ସାଧାରଣ ଲୋକ କ’ଣ କରିବେ ! ଅଣ ବିଜେପି ସରକାରଙ୍କୁ କାମ କରିବାକୁ ଦେଉନାହାନ୍ତି ପ୍ରଧାନମନ୍ତ୍ରୀ, ସେମାନଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି !
ସମାନ କଥା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। ସେହିପରି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପାଇଁ ବୈଠକରେ ଯୋଗ ଦେଇପାରୁ ନ ଥିବା ଜଣାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଅନୁରୂପ କାରଣ ଦର୍ଶାଇ ବୈଠକରେ ଯୋଗଦେବାକୁ ଏଡାଇ ଯାଇଛନ୍ତି। ମାତ୍ର ଓଡିଶା ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗଦେଉ ନଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.