ମହାରାଷ୍ଟ୍ରରେ ବିଧାୟକ-ବେପାରକୁ ନେଇ ନାନା କଳ୍ପନା ଜଳ୍ପନା ଭିତରେ ଗତକାଲି ଉଦ୍ଧବ ଥାକରେ ଶିବସେନା ଗୋଷ୍ଠୀର ମୁଖପତ୍ର ‘ସାମନା’ରେ କୁହାଯାଇଛି ଯେ ଦଳସହ ବିଶ୍ୱାସଘାତକତା କରିଥିବା ଏକନାଥ ସିନ୍ଦେଙ୍କୁ ଛାଡି ୨୨ ବିଧାୟକ ବିଜେପିରେ ଯୋଗଦେବାକୁ ଯାଉଛନ୍ତି – ଏହାଫଳରେ ଯେଉଁ ନୂତନ ରାଜନୈତିକ ସ୍ଥିତି ଉତ୍ପନ୍ନ ହେବ, ସେଥିରେ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରୁ ହଟିଯିବେ ଓ ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ। ଶିବସେନାକୁ ଦୁଇଭାଗ କରି ୪୦ ବିଧାୟକଙ୍କୁ ଧରି ଅଲଗା ହୋଇ ଉଦ୍ଧବ ଥାକରେ ମନ୍ତ୍ରୀମଣ୍ଡଳକୁ ଭାଙ୍ଗି ଦେଇଥିଲେ ଏକନାଥ ସିନ୍ଦେ ଓ ବିଜେପି ସହ ହାତ ମିଳାଇ ଗତ ଜୁନ ୩୦ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ହୋଇଯାଇଥିଲେ । ଏବେ ବିଜେପି ତାର ଅସଲ ରଙ୍ଗ ଦେଖାଇବାକୁ ଯାଉଛି ବୋଲି କୁହାଯାଇଛି।
ଦୁଇଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହିଥିଲେ ଯେ ଉଦ୍ଧବ ଥାକରେ ଗୋଷ୍ଠୀର ୪ ବିଧାୟକ ବିଜେପିକୁ ଆସିବା ପାଇଁ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି।