ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେ ଆଉ ନାହାନ୍ତି। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଯାଇଛି। କୋଲକାତାର ନଜୁରଲ ମଣ୍ଡପରେ କନସର୍ଟରେ ଗାଇବା ପରେ ସେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଗଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଦୁଇ ଦିନିଆ କନ୍ସର୍ଟ ପାଇଁ ସେ କୋଲକାତା ଆସିଥିଲେ, ସୋମବାର ମଧ୍ୟ ତାଙ୍କର କନ୍ସର୍ଟ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ଜଣେ ଲୋକପ୍ରିୟ ଗାୟକ ଭାବେ କେକେ ସମସ୍ତଙ୍କର ଆଦରଣୀୟ ଥିଲେ। ସେ ହିନ୍ଦୀ, ବଙ୍ଗଳା, ତାମିଲ, ତେଲୁଗୁ, ଓ କନ୍ନଡ ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି । ତାଙ୍କ ବିୟୋଗରେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ସିନେ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି।